ଶବ୍ଦ
ଶବ୍ଦ
ଶବ୍ଦର ଅନେକ ରୂପ । ଅନେକ ପ୍ରଭାବ । ଅନେକ ଲୁକାୟିତ ରୂପ । ଶବ୍ଦ କେବେ ବିଶେଷ୍ୟ ହୋଇଯାଏ ତ କେବେ ସର୍ବନାମ । ଶବ୍ଦ କେବେ କ୍ରିୟା ତ କେତେବେଳେ ବିଶେଷଣ । କେବେ କାଳ ତ କେତେବେଳେ କାଳାତୀତ । କେବେ ପ୍ରାର୍ଥନା ତ କେତେବେଳେ ବରଦାନ । କେବେ ଔଷଧ ତ କେବେ ଅମୃତ । କେବେ ବିଶ୍ୱାସ ତ କେବେ ଅବିଶ୍ୱାସ । କେବେ ସ୍ନେହ ତ କେବେ ହତାଦର । ଶବ୍ଦ ବହୁରୂପି । ଶବ୍ଦର ସଦୁପଯୋଗ କେତେବେଳେ ଫୁଲମାଳାରେ ଶୋଭିତ ତ କେତେବେଳେ ଯୋତାମାଳରେ ଅପମାନିତ । ସବୁ ଶବ୍ଦରେ ପ୍ରେରଣା ଅଛି । ଉତ୍ସାହ ଅଛି । ଏହି ପ୍ରେରଣା ଓ ଉତ୍ସାହ ସକାରାତ୍ମକ ଓ ନକାରାତ୍ମକ ଦୁଇ ଭାଗରେ ବିଭକ୍ତ । ଶବ୍ଦ ମନକୁ ସନ୍ତାପରେ ଭରିଦିଏ ତ ଏହି ଶବ୍ଦ ସନ୍ତାପ ହରଣର ରାମବାଣ । ଶବ୍ଦ ଗୀତ , ଶବ୍ଦ ମୀତ ,ଶବ୍ଦ ପ୍ରୀତି ,ଶବ୍ଦ ରୀତି । ଶବ୍ଦ ସମାଜକୁ ଜାଗ୍ରତ କରେ , ପତିତକୁ ଉଦ୍ଧାର କରେ ।
ଶବ୍ଦ କ୍ରାନ୍ତିଦୂତ । ଶବ୍ଦ କର୍ମର ଅଗ୍ରଦୂତ । ଶବ୍ଦ ପ୍ରୀତିମୟୀ , ଗୀତିମୟୀ , ସ୍ନେହମୟୀ ।
ଶବ୍ଦର ସାଧନା ସହଜ ନୁହେଁ । ଯିଏ ସାଧନା କରେ ସେ ଶବ୍ଦଶିଳ୍ପୀ ହୋଇଯାଏ ।
ଶବ୍ଦ ଶାଳୀନ ହେଲେ ପ୍ରେମ ମିଳେ , ସଂସ୍କାର ମିଳେ । ଶବ୍ଦ ବନ୍ଦନ ,ଶବ୍ଦ ସ୍ପନ୍ଦନ,ଶବ୍ଦ ମଥାର ଚନ୍ଦନ , ଶୋଭା ବର୍ଦ୍ଧନ । ଶବ୍ଦ ବୀଣା ,ଶବ୍ଦ ବାଣୀ । ଶବ୍ଦ ଜୀବନର କାହାଣୀ । ଶବ୍ଦର ଶକ୍ତି ଅନନ୍ତ । ଶବ୍ଦ ମନୁଷ୍ୟ ଭଳି ଗତିଶୀଳ । ଶବ୍ଦ ଯୁଗେ ଯୁଗେ ନିଜର ଅର୍ଥ ବଦଳାଏ ।
ଆକାର ନଥିବା ଭାବକୁ ସାକାର କରିଦିଏ ଶବ୍ଦ । ଛୋଟିଆ ଛୋଟିଆ ଶବ୍ଦ ଭିତରେ ଭାବର ବ୍ରହ୍ମାଣ୍ଡ ।କବିତାଟିର ଭାବ ମନରେ ଧୀରେ ଧୀରେ ନାଚିବାକୁ ଆରମ୍ଭ କଲାପରେ , ତାକୁ ଶବ୍ଦଦ୍ୱାରା ଚିହ୍ନେଇ ଦେବାକୁ ହୁଏ । ଭାବଟିଏ ମନକୁ ଆସିଲେ , ଗୁଡାଏ ଶବ୍ଦ ତାହାର ପରିପ୍ରକାଶ ପାଇଁ ଆଗେଇ ଆସନ୍ତି । ଯେଉଁ ସୃଷ୍ଟି ଆମକୁ ଅଭିଭୂତ କରି ପକାଏ ,ଯାହାକୁ ପଢିବାରେ ମଧ୍ୟ ,ତାହାର ସ୍ୱାଦ ଛାତିର କେଉଁ ଗୋଟାଏ କୋଣରେ ସ୍ପନ୍ଦନ ସୃଷ୍ଟି କରୁଥାଏ , ସେଥିରେ ବହୁଳ ନୁହେଁ, ଅନୁକୂଳ ଓ ଅବିକଳ ଶବ୍ଦର ପ୍ରୟୋଗ କରାଯାଇଛି ।
ଶବ୍ଦ ଶୂନ୍ୟ ନୀରବତା ।